LATEST NEWS

ଶୀତଳ ଷଷ୍ଠୀ ଓ ଶିବ ବିବାହ ଅନୁଷ୍ଠିତ

By SURYA NARAYAN MOHAPATRA • 2026-06-20 11:36 • 3 views   Share WhatsApp Share Facebook Share X
ଶୀତଳ ଷଷ୍ଠୀ ଓ ଶିବ ବିବାହ ଅନୁଷ୍ଠିତ

ସୁନ୍ଦରଗଡ଼ର ପତ୍ରାପଡା ଅଞ୍ଚଳରେ ଶୀତଳ ଷଷ୍ଠୀ ଅବସରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପତ୍ରାପଡା ନିବାସୀ ରମେଶ ପ୍ରସାଦ ପଣ୍ଡାଙ୍କ ବାସଭବନରୁ ସକାଳ ୧୦ଟାରେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ରଥରେ ସ୍ଥାପନ କରାଯାଇ ଶୋଭାଯାତ୍ରା ବାହାରିଥିଲା।

ଶୋଭାଯାତ୍ରା ବିଭିନ୍ନ ସ୍ଥାନ ଦେଇ ଯାଇଥିବାବେଳେ ସତ୍ୟସାଇ ମନ୍ଦିର ସମ୍ମୁଖରେ ସ୍ୱାଗତ କରାଯାଇଥିଲା। ପରେ ଶୋଭାଯାତ୍ରା ସହର ମଧ୍ୟ ଦେଇ ଶଙ୍କରା ଅଭିମୁଖେ ଯାଇଥିଲା।

ଟାଉନ ହାଇସ୍କୁଲ ସମ୍ମୁଖରେ ପହଞ୍ଚିବା ପରେ କନ୍ୟା ପକ୍ଷ ପ୍ରତିନିଧି ଦିଲ୍ଲୀପ କୁମାର ଷଡ଼ଙ୍ଗୀ (ଜଲି)ଙ୍କ ତରଫରୁ ବାଟବରଣ କରାଯାଇଥିଲା। ଏହାପରେ ମା' ବନଦୁର୍ଗା ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା ପରେ ପ୍ରତିମାକୁ ବିବାହ ବେଦୀକୁ ନିଆଯାଇଥିଲା।

ପଣ୍ଡିତମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ ହାତଗଣ୍ଠି ପଡ଼ିଥିଲା। ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ଲୋକ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଗୋପକୃଷ୍ଣ ନାୟକ, କୁମୁଦ ପଣ୍ଡା, ସୁରେନ୍ଦ୍ର ଦତ୍ତ, ପୂର୍ଣ୍ଣ ବରାଳ ଏବଂ ଜେ.ଭି. ଶେଷୁ ପ୍ରମୁଖ ସହଯୋଗ କରିଥିଲେ।

ଉତ୍ସବରେ ଯୋଗଦେଇଥିବା ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା। ଆୟୋଜକମାନଙ୍କ ସୂଚନା ଅନୁଯାୟୀ, ବିବାହ ଉତ୍ସବ ପରେ ମହାଦେବ ଓ ପାର୍ବତୀଙ୍କ ପ୍ରତିମାକୁ ପୁନର୍ବାର ନିର୍ଦ୍ଧାରିତ ସ୍ଥାନକୁ ନିଆଯାଇଥିଲା। ସେହିପରି ଆସନ୍ତାକାଲି ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।