LATEST NEWS

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

By TARUN KANTI PATRA • 2026-06-18 11:30 • 3 views   Share WhatsApp Share Facebook Share X
ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ
ବାଣପୁର: ଓଡ଼ିଶାର ଗଣପର୍ବ ରଜ। ଶେଷ ଚତୁର୍ଥ ଦିନଟି ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ଭାବରେ ପାଳନ କରାଯାଏ। ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଘରର ପରମ୍ପରାନୁସାରେ ରଜବତୀ ନାରୀମାନେ ତିନିଦିନ ଅଗାଧୁଆରେ ଏକ ବସ୍ତ୍ର ପିନ୍ଧି ସଂପୂର୍ଣ୍ଣ ଅଲଗା ରହି ଚତୁର୍ଥଦିନରେ ପ୍ରତ୍ୟୁଷରୁ ତେଲ ହଳଦୀ ଲଗାଇ ମହାସ୍ନାନ କରି ନୂତନ ବସ୍ତ୍ର ପରିଧାନ ପରେ ଗୃହକାର୍ଯ୍ୟରେ ଯୋଗ ଦିଅନ୍ତି। ମାନବୀୟ ଲୀଳାର ଆଉ ଏକ ବିଶ୍ୱାସ ଅନୁସାରେ ମା’ଭଗବତୀଙ୍କୁ ମଧ୍ୟ ଏହି ପୀଠରେ ଜଣେ ଓଡ଼ିଆ ଘରର ନାରୀ ଭାବରେ ଏହି ପର୍ବକୁ ଅତି ନିଷ୍ଠାର ସହିତ ପାଳନ କରାଯାଏ। ଦେବୀ ଭଗବତୀ, ମା’ ଅନ୍ନପୂର୍ଣ୍ଣା, ସୃଷ୍ଟି କାରିଣୀ ବସୁମତୀ ସ୍ୱରୂପା। ତେଣୁ ରଜ ପର୍ବର ଚତୁର୍ଥ ଦିବସ ସ୍ଥାନୀୟ ଅଞ୍ଚଳରେ ଠାକୁରାଣୀ ବୁଡ଼ ଭାବରେ ପରିଚିତ ଦିନରେ ମା’ଙ୍କୁ ପ୍ରତ୍ୟୁଷରୁ ପାଳିଆମାଳି ସେବକ ଅନୀଳମହାପାତ୍ର, ଅଭିମନ୍ୟୁ ଭୋପା ରାଶିତେଲହଳଦୀ ଲଗାଇ ମା’ ସାଆନ୍ତାଣିଙ୍କୁ ଗଙ୍ଗା ଜଳ, ଶ୍ରୀକର୍ପୁର ,ଚନ୍ଦନ, ଅଗୁରୁ, ଗୋଲାପ ଜଳ ମିଶ୍ରିତ ସୁଗନ୍ଧିତ ଜଳରେ ସାତଥର ସ୍ନାନ କରାଇ ପୋଛଣି ପରେ ନୂତନ ପାଟବସ୍ତ୍ର ସହିତ ରଙ୍ଗ ବେରଙ୍ଗର ପୁଷ୍ପମାଲ୍ୟ ପିନ୍ଧାଇ ବେଶ କରି ମହାପ୍ରସାଦ ଅର୍ପଣ ପରେ ବଲ୍ଲଭ ଆଳତୀ ବଢ଼ାଇ ସର୍ବସାଧାରଣଙ୍କ ଦର୍ଶନ ନିମିତ୍ତ ସାହାଣମେଲା କରାଇଥିଲେ। ମଧ୍ୟାହ୍ନରେ ମା’ଙ୍କ ଖେଜଡ଼ି ଡ଼ାଲି ଧୂପ ସହିତ ଆଳତିହୋଇ ପରେ ଦ୍ୱିତୀୟ ଧୂପରେ ଖେଚ଼ଡ଼ି, ଡ଼ାଲି , ମାଛ ମହୁର , କ୍ଷୀରି ଏଣ୍ଡୁରୀ ପୂଜା ପରେ ମା’ଙ୍କ ଦିବା ପହଡ଼ ହୋଇଥିଲା। ପରେ ବେଶକାରୀ ନିଯୋଗୀ ସେବାୟତ ମାନେ ମା’ ସାଆନ୍ତାଣୀଙ୍କୁ ଦୁର୍ଲଭ ରାଜରାଜେଶ୍ଵରୀ ବେଶରେ ବେଶ କରି ସୁନାରୂପାର ଅଳଙ୍କାର ମାନ ପିନ୍ଧାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସାହାଣମେଲା କରାଇଥିଲେ। ମଥାରେ ସୁବର୍ଣ୍ଣ ମୁକୁଟ, ମକରକୁଣ୍ଡଳ, ମଥାମଣି, ସୁବର୍ଣ୍ଣରଚିତା , ଓଡ଼ିଆଣି ,ନାଶାରେ ବଶଣି, ବାହୁରେ ବାଜୁ ବନ୍ଦ, ଅଣ୍ଟାରେ ଅଣ୍ଟା ପାତିଆ, ସୁବର୍ଣ୍ଣର ଝରି,ବକ୍ଷରେ ସୁବର୍ଣ୍ଣ ଖାଆସୁ ମାଳି, ଚାପସୁରି,ବେଲପତ୍ର ମାଳି, ଡଙ୍କି ମାଳି, ହରିଡ଼ା ମାଳି, ମୁଣ୍ଡମାଳ, ପଦ୍ମମାଳି, ସେବତୀମାଳି,ବ୍ୟାଘ୍ର ନଖ,ତାବିଜ ପାଦରେ କିଙ୍କିଣି ପାହୁଡ଼ ଖଡ଼ୁ ପାଉଞ୍ଜି ପରିଧାନ କରି ମା’ ସାଆନ୍ତାଣି ରତ୍ନସିଂହାସନ ଉପରେ ଝଲସୁଥିଲେ। ଅଗଣିତ ଶ୍ରଦ୍ଧାଳୁ ଏହି ଦୁର୍ଲଭ ବେଶରେ ମା’ଙ୍କୁ ଦର୍ଶନ କରି କୃପା ଭିକ୍ଷା କରୁଥିଲେ। ମନ୍ଦିର ପରିସରରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଦନେଇ ସାର୍ ଓ ସାଥିଙ୍କ ସୁଲଳୀତ କଣ୍ଠରେ ମା’ଙ୍କ ଭଜନ ସହିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଜୟ ଜୟକାର ଧ୍ୱନୀ ପରିବେଶକୁ ଆଧ୍ୟାତ୍ମିକ ମୟ କରିଦେଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଦଶହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିରରେ ମା,ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ଥାନାଧିକାରୀ ଜୟ ପ୍ରକାଶପରୀଡ଼ାଙ୍କ ସହଯୋଗରେ ଆରକ୍ଷୀ ବାହିନୀ ଏବଂ ମନ୍ଦିର କାର୍ଯ୍ୟାଳୟ ତରଫରୁ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଥିଲା।