LATEST NEWS

ଜିଲ୍ଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଜିଲ୍ଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ହିଞ୍ଜିଳିକାଟୁ, ୨୯ ମେ (ସପ୍ର): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବୁଧବାର ହିଞ୍ଜିଳିକାଟୁ ଗସ୍ତ କରି ପୌରପରିଷଦ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ।

ପ୍ରଥମେ ସେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୂଆଗଡ଼ରେ ଥିବା ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏବଂ କୋର୍ଟ ନିକଟରେ ଥିବା ପରିବେଶ ଶିକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ପ୍ଲାଷ୍ଟିକ ଓ ନଡ଼ିଆ କତାରୁ ନିର୍ମିତ ବିଭିନ୍ନ ସାମଗ୍ରୀ ସମ୍ପର୍କରେ ଅବଗତ ହୋଇଥିଲେ।

ପରେ ଜିଲ୍ଲାପାଳ ପୌରପରିଷଦ କାର୍ଯ୍ୟାଳୟ ଓ ବିଜୁ ପଟ୍ଟନାୟକ ଛକ ସ୍ଥିତ ପରିବା ବଜାର ପରିଦର୍ଶନ କରିଥିଲେ। ବଜାର ଗୃହର କିଛି ଅଂଶକୁ ବେଆଇନ ଭାବେ ବିସ୍ତାର କରାଯାଇଥିବା ଚିହ୍ନଟ କରିବା ସହ ରାସ୍ତା ପାର୍ଶ୍ୱରେ ପରିବା ଓ ଫଳ ବ୍ୟବସାୟ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ସମୀକ୍ଷା କରିଥିଲେ।

ଗସ୍ତ ସମୟରେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଡ଼ଙ୍ଗୀ, ପୌରପରିଷଦ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ସହକାରୀ ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ, ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।